Revision 14282 of "କଳା କଳେବର ଚଉତିଶା" on orwikisource

{{header
 | title      = କଳାକଳେବର ଚଉତିଶା
 | author     = ଭକ୍ତ ଚରଣ ଦାସ
 | translator = 
 | section    = 
 | previous   = 
 | next       =
 | year       = 
 | notes      = 
}}

<center><poem>
କଳାକଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,
କରନ୍ତି ମଥୁରା  ବିଜୟେ ଦାଣ୍ଡେ ଦେଖ ସଙ୍ଗାତ।
ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା,
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା।
ଗହନ କାନନ ବନରେ ଘୋର ବରଷା କାଳ,
ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ।
ଘରେ ନ ରହନ୍ତି ଗଉଡେ ବଡ ଅଧମ ଜାତି,
ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି।
ଉଇଁ ଆସୁଛିକି ପୂର୍ଣ୍ଣିମା ଶଶି କ୍ଷୀର ସାଗରୁ,
ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ।
ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ,
ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ର ବଦନ।
ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି,
ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି।
ଜହର ସଙ୍ଗରେ ମହୁରା ଆସି ହେଲା ନିୟତ,
ଯୁବତୀ କୁଳକୁ ଦଇବ କଲା ଏ ଉତପାତ।
ଝଡି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ,
ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ।
ନୟନ ଉପରେ ଭ୍ରୂଲତା ଏ କି କାମ କମାଣ,
ନୁହଁନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ।
ଟୋପି ଟୋପି କରି ଚନ୍ଦନ ମଣ୍ଡିଛନ୍ତି କି ସଜେ,
ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ।
ଠାବେ ଠାବେ ଗୋଳ ଚହଳ ଶିଙ୍ଘା ବେଣୁ ବଇଁଶୀ,
ଠିଆ ହୋଇ ଭକ୍ତ ଦାସ ତା ଦାଣ୍ଡେ ଦେଖନ୍ତି ଆସି।
ଡାକନ୍ତି ଏକକୁ ଆରେକ ଆସ ଜୀବ ଜୀବନ,
ଡୋଳାରେ ଏ ରୂପ ଦେଖିବା ବିଜେ ମଧୁସୂଦନ।
ଢଳି ଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣୀ,
ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି।
ଅଳକାରେ ସରୁ କାଇଁଚ ମଣ୍ଡିଛନ୍ତି ରଙ୍ଗରେ,
ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ।
ତିଳକ ଉପରେ କସ୍ତୁରୀ ଗୋରଚନା ଖଞ୍ଜିଛି,
ତେରେଛେଇଁ ଚାହିଁ ଦେବାରୁ ତରଳାଇ ଦେଉଛି।
ଥକା ହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡାଇ,
ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ।
ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ,
ଦହି ଦୁଧ ସର ଖିଆ ଗୋ ତେଣୁ ବଡ ଲାବଣ୍ୟ।
ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା,
ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କ ଶୋଭା।
ନାସାବିନ୍ଧା ଅପତିଆଣୀ ସେ ଯେ ଯଶୋଦାସୁତ,
ନକଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ।
ପୁଅ ହୋଇ ଏଡେ ସୁନ୍ଦର ନାହିଁ କାହାର ଘରେ,
ପାହିଲା କି ଯୋଗେ ରଜନୀ ଆଜି ମଧୁନଗରେ।
ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା,
ସ୍ଫୁରୁଛି ତ ବାମ ନୟନ ମୋତେ ଚାହିଁବେ ପରା।
ବୁଦ୍ଧି ବଣା ହେଲା ଶୁଣିଣ ଅମୃତ ଜିଣା ବାଣୀ,
ବସି କେତେ କାଳ ଗଡିଲା ତାକୁ କେଉଁ ବିନ୍ଧାଣି।
ଭଜିବାକୁ ହେଲା ଭଜନ ମାଳା କଲା ଏ ରୂପ,
ଭଜିବକି ଭକ୍ତ ଦାସ ତା କ୍ଷୟ କରିବ ପାପ।
ମନ୍ଦ ବୁଦ୍ଧିକଲେ ନନ୍ଦ ଗୋ ସେ ତ ଆମ କରମ,
ମିଛେ ନନ୍ଦ ପୁଅ ବୋଲନ୍ତି ମଥୁରାରେ ଜନମ।
ଯଦୁକୁଳ ଚନ୍ଦ୍ର ବୋଲିବା ସେ ତ ଯଦୁବିହାରୀ,
ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି।
ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ତୋରା,
ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗଗନ ତାରା।
ଲାଜ ଭୟ ତେଜି କରିଲେ କୃଷ୍ଣ ସଙ୍ଗେ ପୀରତି,
ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି।
ବଳିଣ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ,
ବିନ୍ଧୁଛି କି ଝସ କେତନ ମିଶି ହେଲା ତରଳ।
ଶ୍ରୀମନ୍ତ ବଢାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ,
ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣିମା ଶଶୀ।
ସରଲବଣୀ ଗୋଟିକା ଯେ ଖାଇ ନନ୍ଦର ବତ୍ସି,
ସବୁ ଗୋପୀଙ୍କ ମନକୁ ବଂଶୀସ୍ଵନେ ମୋହିଛି।
ସଧୀରେ ପବନ ବହଇ ସରୁ କଟି ମେଖଳା,
ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା।
ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,
ହସୁଥିବୁ ତାର ସଙ୍ଗତେ ବସିଥିବୁ ଗୋ କୋଳେ।
ଛାଡି ଲଜ୍ଜାଭୟ ତା ରୂପ ଦରପଣେ ମାଜିବା,
ଛାର ଭକ୍ତ ଦାସ କହେ ତା ଧ୍ୟାୟୀ ରଜନୀ ଦିବା।
</poem> </center>