Revision 14635 of "ଆମ ଦେବାଦେବୀ" on orwikisource

{{header
 | title      = ଆମ ଦେବଦେବୀ
 | author     = ଅସିତ ମହାନ୍ତି
 | translator = 
 | section    = 
 | previous   = [[ଆମ ଦେବଦେବୀ/କବି ପରିଚୟ]]
 | next       = [[ଆମ ଦେବଦେବୀ/ସୂଚିପତ୍ର]]
 | year       = 
 | notes      = 
}}
==ନିଜ କଥା==
ସବୁ ମଣିଷଙ୍କ ପରି ସବୁ ବହିର ବି ବୋଧହୁଏ ଗୋଟିଏ ଭାଗ୍ୟ ଥାଏ  ।
ତା' ନହେଲେ ଦୀର୍ଘ ପ୍ରାୟ କୋଡ଼ିଏ ବର୍ଷ ତଳେ ଲେଖିଥିବା ଲେଖାଗୁଡ଼ିକୁ
ନେଇ ଆଜି ଏ ବହି ପ୍ରକାଶ ପାଉ ନଥାନ୍ତା ।
ଆମର ଖୁବ୍ ପରିଚିତ ଷୋହଳ ଜଣ ଦେବଦେବୀଙ୍କୁ ନେଇ ଏ ବହି  ।
ସେମାନଙ୍କ ମଧ୍ୟରେ ଯେମିତି ଗଣେଶ ଓ ସରସ୍ୱତୀଙ୍କ ପରି ବିଦ୍ୟାଦାତା ଓ
ବିଦ୍ୟାଦାତ୍ରୀ ଅଛନ୍ତି, ସେମିତି ବି ଅଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; ଇନ୍ଦ୍ର, ଚନ୍ଦ୍ର ଓ
ସୂର୍ଯ୍ୟ; ଦୁର୍ଗା, ଲକ୍ଷ୍ମୀ ଓ କାର୍ତ୍ତିକ । ପୁଣି ଗୋ-ମାତା କାମଧେନୁ, ପକ୍ଷୀରାଜ ଗରୁଡ଼
ଓ ସର୍ପରାଜ ବାସୁକୀ ଏବଂ ଆମ ଆଦିକବି ସାରଳା ଦାସଙ୍କ କଳ୍ପନାର ଅଦ୍ଭୁତ
ଅବତାର ନବଗୁଞ୍ଜର ଓ ସଂକଟମୋଚନ ହନୁମାନ ବି ଅଛନ୍ତି  ।
ମଝିରେ ମାତ୍ର ଗୋଟିଏ ମାସକୁ ଛାଡ଼ି,୧୯୯୦ ଅଗଷ୍ଟରୁ ୧୯୯୧
ନଭେମ୍ବର ପର୍ଯ୍ୟନ୍ତ ଏହି ଷୋହଳଟି ଲେଖାରୁ ପନ୍ଦରଟି, ମାସିକ 'ମୀନାବଜାର'
ପତ୍ରିକାର ପ୍ରଚ୍ଛଦ କାହାଣୀ ଭାବରେ ପ୍ରକାଶ ପାଇଥିଲା  । ସେତେବେଳେ ମୁଁ
ଥିଲି ତା'ର ସହ-ସଂପାଦକ । କେବଳ ହନୁମାନ ଲେଖାଟି ପ୍ରକାଶ ପାଇଥିଲା
ପ୍ରାୟ ଦେଢ଼ବର୍ଷ ପରେ, ୧୯୯୩ ଏପ୍ରଲ୍‌ର ପ୍ରଚ୍ଛଦ କାହାଣୀ ଭାବରେ  ।
ଆଜି ଦୀର୍ଘ ପ୍ରାୟ ଦୁଇ ଦଶନ୍ଧି ପରେ, ଲେଖାଗୁଡ଼ିକୁ ସାଉଁଟି ବହିଟିଏ
କରିବାକୁ ଇଚ୍ଛା କଲାବେଳେ, କେତୋଟି ଲେଖାର କିଛି କିଛି ପୃଷ୍ଠା ହଜି ଯାଇଥିବା
ଦେଖାଗଲା  । ପୁଣି ହନୁମାନ ପରି ଗୋଟିଏ, ଦୁଇଟି ଲେଖା ବହୁ ଖୋଜିବା
ପରେ ବି ମିଳିଲା ନାହିଁ  । ତେଣୁ ସେସବୁକୁ ସଜାଡ଼ି ଓ ସ୍ଥଳ ବିଶେଷରେ ପୁନର୍ଲିଖିତ
କରି, ପୁଣି ମିଳୁନଥିବା କେତୋଟିକୁ ନୂଆ କରି ଲେଖି ଏ ବହିଟି ହେଲା  ।
ଗୋଟିଏ ଦୃଷ୍ଟିରୁ ଭଲ ହେଲା ଯେ ପ୍ରାୟ ସବୁ ଲେଖା ନୂଆ ହୋଇଗଲା  ।
ଆଜିର ପିଲାଏ, ଆମ ପୁରାଣ ପରଂପରା ସହିତ ପ୍ରାୟ ପରିଚିତ ନୁହନ୍ତି  ।
ସେମାନେ ହୁଏତ ସ୍କୁଲ୍, କଲେଜରେ ଗଣେଶ ଓ ସରସ୍ୱତୀ ପୂଜା ଏବଂ ସାମାଜିକ
ପର୍ବ, ଉତ୍ସବରେ ଦୁର୍ଗା, ଲକ୍ଷ୍ମୀ, ଶିବ ଓ ହନୁମାନ ଆଦିଙ୍କୁ ପୂଜା, ଭକ୍ତି କରନ୍ତି;
ମାତ୍ର ସେମାନଙ୍କର ସ୍ୱରୂପ ଓ ବିଶେଷତ୍ୱ ସଂପର୍କରେ ବେଶି କିଛି ଜାଣନ୍ତି ନାହିଁ  ।
ଗପ ଛଳରେ ସେମାନଙ୍କୁ ସେସବୁ ସହ ଯୋଡ଼ିବାର ଚେଷ୍ଟା ଏଥିରେ ମୁଁ କରିଛି  ।
ପୁଣି ଗୋଟିଏ ଗୋଟିଏ ଗପ ଭିତରେ ଗୁନ୍ଥା ଗୁନ୍ଥି ହୋଇ ରହିଛି ଅନେକ ଗୁଡ଼ିଏ
ଗପ  । ଏହା ଯେ ସେମାନଙ୍କୁ ଆନନ୍ଦ ଦେବ, ସେମାନଙ୍କ ଜ୍ଞାନ ବଢ଼ାଇବ, ଆମ
ପୁରାଣ ପରଂପରା ସହ ସେମାନଙ୍କୁ ଯୋଡ଼ିବ, ଏଥିରେ ମୁଁ ନିଃସନ୍ଦେହ  ।
ଆଜି 'ହ୍ୟାରି ପୋଟର' ପରି ଉପନ୍ୟାସମାଳା ଇଂଲିଶ୍ ପଢ଼ୁଆ ପିଲାଙ୍କ
ଭିତରେ ଖୁବ୍ ଆଦର ପାଉଛି  । କିନ୍ତୁ ଆମ ପୁରାଣ କାହାଣୀ ଭିତରେ ଯେ
ସେପରି ବହୁ ରୋମାଞ୍ଚକର ଉପାଦାନ ଭରି ରହିଛି, ସେ ସଂର୍ପକରେ ହୁଏତ
ଆମେ ନିଜେ ବି ସଚେତନ ନୋହୁ  । ଆମ ପୁରାଣ କାହାଣୀ କହେ, ଦିନେ ସବୁ
ପର୍ବତଙ୍କର ଡେଣା ଥିଲା  । ସେମାନେ ମନଇଚ୍ଛା ଆକାଶରେ ଉଡ଼ି ବୁଲୁଥିଲେ  ।
ବଜ୍ର ମାରି ଇନ୍ଦ୍ର ସେମାନଙ୍କର ପକ୍ଷ ଚ୍ଛେଦିଦେଲେ  । କାର୍ତ୍ତିକଙ୍କୁ ଛଅଜଣ ମାଆ
ଏକାବେଳକେ କ୍ଷୀର ପିଆଇବାକୁ ଚାହିଁବାରୁ ସେ ଛଅ ମୁହଁ ହୋଇଗଲେ  ।
ସେମିତି ଶିବଙ୍କ କଣ୍ଠ କାହିଁକି ନୀଳ, ନାଲି ପିଆଜ କାହିଁକି ନାଲି ଓ ଧଳା ପିଆଜ
କାହିଁକି ଧଳା, ସାପଙ୍କ ଜିଭ କାହିଁକି କଟା- ଏମିତି ଶହ ଶହ କାହାଣୀ ସେମାନେ
ଏ ବହିରୁ ପାଇବେ  । ପୁଣି ସୂର୍ଯ୍ୟଙ୍କର ସାତ ଘୋଡ଼ା ଓ ଚନ୍ଦ୍ରଙ୍କର ସତେଇଶ ସ୍ତ୍ରୀ
ପରି ଗପର ଯେ ବୈଜ୍ଞାନିକ ଭିତ୍ତି ରହିଛି, ତାହା ମଧ୍ୟ ସେମାନେ ଜାଣି ପାରିବେ ।
ଏଣୁ ଏ ବହି ପଢ଼ି, ଆମ ପୁରାଣ ପରଂପରା ଓ ଆମ ପାରଂପରିକ
ମୂଲ୍ୟବୋଧ ସହ ଆମ ପିଲାଏ ଯଦି କିଛି ପରିମାଣରେ ଯୋଡ଼ି ହେବେ, ତେବେ
ଏହାର ଉଦ୍ଦେଶ୍ୟ ସଫଳ ହେଲା ବୋଲି ମୁଁ ଭାବିବି  । ଏସବୁ କିଛି ନ ହୋଇ,
ଗପଗୁଡ଼ିକ ପଢ଼ି ସେମାନେ ଯଦି କେବଳ ଖୁସି ହେବେ; ତେବେ ବି ମୁଁ ଆହୁରି
ବେଶି ଖୁସି ହେବି  ।

==ଅସିତ ମହାନ୍ତି==