Revision 14637 of "ଆମ ଦେବଦେବୀ/ଗଣେଶ" on orwikisource

==ଗଣେଶ==
ଆମ ଭାରତର ଶାସ୍ତ୍ର, ପୁରାଣମାନଙ୍କରେ ଯେଉଁସବୁ ଦେବଦେବୀଙ୍କ ନାମ ଓ ଗୁଣର
ବର୍ଣ୍ଣନା ଅଛି, ସେମାନଙ୍କ ମଧ୍ୟରେ ଗଣେଶଙ୍କ ମହତ୍ତ୍ୱ ଅସାଧାରଣ  । ସନାତନ ହିନ୍ଦୁ ଧର୍ମରେ
ଗଣେଶଙ୍କୁ କେବଳ ଯେ ପଞ୍ଚଦେବତାଙ୍କ ମଧ୍ୟରେ ପୂଜା କରାଯାଏ ତାହା ନୁହେଁ; ଅନ୍ୟ ଯେ
କୌଣସି ଦେବଦେବୀଙ୍କ ପୂଜା ବା ଉତ୍ସବ ମଧ୍ୟ ଶ୍ରୀଗଣେଶଙ୍କ ସ୍ମରଣ ବା ଆବାହନ ବିନାଆରମ୍ଭ କରାଯାଏ ନାହିଁ  । ପୁଣି ଯେ କୌଣସି ଧାର୍ମିକ ବା ମାଙ୍ଗଳିକ କାର୍ଯ୍ୟ ମଧ୍ୟ ଗଣେଶଙ୍କ
ପୂଜା ବ୍ୟତୀତ ଆରମ୍ଭ କରାହୁଏ ନାହିଁ  । ଗଣେଶ ଏ ଦୃଷ୍ଟିରୁ ଅଗ୍ରପୂଜ୍ୟ  । ପୁଣି ସେ ସିଦ୍ଧି ଓ
ସମୃଦ୍ଧିଦାତା ହୋଇଥିବାରୁ ସମସ୍ତଙ୍କର ପୂଜ୍ୟ ହୋଇଥାଆନ୍ତି  । ବିଘ୍ନେଶ ହୋଇଥିବାରୁ ଗଣେଶଙ୍କୁ
ପ୍ରଥମେ ପୂଜା କରି କାର୍ଯ୍ୟ ଆରମ୍ଭ କଲେ କାର୍ଯ୍ୟ ନିର୍ବିଘ୍ନରେ ସମାପ୍ତ ହୁଏ ବୋଲି ବିଶ୍ୱାସ
ରହିଛି  ।
ପଦ୍ମ ପୁରାଣ, ଲିଙ୍ଗ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ସ୍କନ୍ଦ ପୁରାଣ, ଶିବ ପୁରାଣ ଆଦିରେ
ଗଣେଶଙ୍କର ଜନ୍ମ ଓ ବିଭିନ୍ନ ଲୀଳା ସମ୍ପର୍କରେ ବହୁ କାହାଣୀ ରହିଛି  । କେତେକ କାହାଣୀ
ପୁଣି ପରସ୍ପର ଠାରୁ ଭିନ୍ନ  । ଗଣେଶ ପୁରାଣ ଓ ମୁଦ୍‌ଗଲ ପୁରାଣରେ ଗଣେଶଙ୍କର ବିଭିନ୍ନ
ଅବତାର ବିଷୟରେ ବିଶଦ ଭାବରେ ଉଲ୍ଲେଖ ଅଛି  । ଭଗବାନ ବିଷ୍ଣୁ ଦୁଷ୍ଟମାନଙ୍କୁ ସଂହାର
କରି ପୃଥିବୀରେ ଧର୍ମର ପ୍ରତିଷ୍ଠା ପାଇଁ ବିଭିନ୍ନ ଯୁଗରେ ଅବତାର ଗ୍ରହଣ କରିଥିଲେ  । ସେହିରି
ଗଣେଶ ମଧ୍ୟ ଦୁଷ୍ଟ ସଂହାର କରି ପୃଥିବୀକୁ ରକ୍ଷା କରିବା ପାଇଁ ବିଭିନ୍ନ ଯୁଗରେ ଅବତାର
ଗ୍ରହଣ କରିଥିଲେ ବୋଲି ଗଣେଶ ପୁରାଣରେ ଉଲ୍ଲେଖ ଅଛି  । ବର୍ଣ୍ଣନା ଅଛି ଯେ, ସତ୍ୟ
(କୃତ) ଯୁଗରେ ଗଣେଶଙ୍କର ପ୍ରଥମ ଅବତାର ହୋଇଥିଲା  । ‘ମହୋତ୍କଟ ବିନାୟକ’ ରୂପରେ
ଦେବମାତା ଅଦିତିଙ୍କ ଗର୍ଭରୁ ଆବିର୍ଭୂତ ହୋଇ ସେ ଧୁମ୍ରାକ୍ଷ, ଜୃମ୍ଭା, ଅନ୍ଧକ, ଦେବାନ୍ତକ,
ନରାନ୍ତକ ଆଦି ମାୟାବୀ ଅସୁରଙ୍କୁ ସଂହାର କରିଥିଲେ  । ମହୋତ୍କଟ ବିନାୟକଙ୍କର ଦଶଭୁଜ  ।
ଭୁଜରେ ପରଶୁ ଓ କମଣ୍ଡଳୁ, କର୍ଣ୍ଣରେ କୁଣ୍ଡଳ, ଲଲାଟରେ କସ୍ତୂରୀ ତିଳକ, କଣ୍ଠରେ
ମୋତିମାଳା, କଟିରେ ସୁବର୍ଣ୍ଣ କଟିସୂତ୍ର ଓ ନାଭିରେ ସର୍ପ ଶୋଭିତ  ।
ଗଣେଶ ପୁନର୍ବାର ତ୍ରେତା ଯୁଗରେ ମୟୂରେଶ ରୂରେ ଓ ଦ୍ୱାପର ଯୁଗରେ ଗଜାନନ ରୂପରେ ଅବତାର ଗ୍ରହଣ କରିଥିଲେ  । ତ୍ରେତା ଯୁଗରେ ମୟୂରେଶ ରୂପରେ ସେ ଶିବ ଓ
ପାର୍ବତୀଙ୍କ ପୁତ୍ର ରୂପେ ପ୍ରକଟ ହୋଇଥିଲେ  । ଛତ୍ର, ଅଙ୍କୁଶ, ଊର୍ଦ୍ଧ୍ୱରେଖା ଯୁକ୍ତ କମଳ ଆଦି
ଶୁଭ ଚିହ୍ନ ତାଙ୍କଠାରେ ଶୋଭା ପାଉଥିଲା  । ସେହି ଅବତାରରେ ସେ ସୂର୍ଯ୍ୟଙ୍କ ବରରେ
ବଳୀୟାନ ସିନ୍ଧୁ ଦୈତ୍ୟକୁ ନାଶ କରି ପୃଥିବୀକୁ ରକ୍ଷା କରିଥିଲେ  । କମଳାସୁର ଓ ତା’ର ବହୁ
ଅକ୍ଷୌହିଣୀ ସୈନ୍ୟଙ୍କୁ ମଧ୍ୟ ସେ ନାଶ କରିଥିଲେ  । ତାଙ୍କର ତ୍ରିଶୂଳ ଆଘାତରେ କମଳାସୁରର
ଶିର ଛିଣ୍ଡି ଯେଉଁଠାରେ ପଡ଼ିଥିଲା, ଦେବତା ଓ ମୁନିଋଷିଙ୍କ ପ୍ରାର୍ଥନା ରକ୍ଷା କରି ସେ ସେଠାରେ
ମୟୂରେଶ ନାମରେ ନିଜକୁ ପ୍ରତିଷ୍ଠିତ କରିଥିଲେ  । ଏହି ଅବତାରରେ ତାଙ୍କର ଶରୀରର ବର୍ଣ୍ଣ
ଥିଲା ଶ୍ୱେତ  । ସେ ହୋଇଥିଲେ ଷଡ଼ଭୁଜ  । ତାଙ୍କର ବାହନ ଥିଲା ମୟୂର  ।
ସେହିରି ଦ୍ୱାପର ଯୁଗରେ ଗଣେଶ ଗଜାନନ ରୂପେ ଅବତାର ଗ୍ରହଣ କରି ସିନ୍ଦୂର
ନାମକ ଦୈତ୍ୟକୁ ସଂହାର କରିଥିଲେ  । ଏହି ଅବତାରରେ ଆବିର୍ଭୂତ ହେବାବେଳେ ତାଙ୍କର